୭ଦଫା ଦାବି ନେଇ ଇଣ୍ଡିଆନ ଗ୍ୟାସ ଗୋଦାମ ସମ୍ମୁଖରେ ଧାରଣା ଦେଲେ କର୍ମଚାରୀ
ବ୍ରହ୍ମପୁର,୧୩/୯/୨୨/(ପିଣ୍ଟୁ ବେହେରା):ଆସ୍କାରୋଡ ସ୍ଥିତ ଶ୍ରୀକ୍ଷେତ୍ର ବିହାରରେ ଥିବା ଉତ୍କଳ ଇଣ୍ଡିଆନ ଗ୍ୟାସ ଗୋଦାମ ସମ୍ମୁଖରେ ଧାରଣାରେ ବସିଲେ କର୍ମଚାରୀ। ବିଭିନ୍ନ ଦାବିକୁ ନେଇ ଗ୍ୟାସ ଡେଲିଭର ବୟ, ଗୋଦାମ କର୍ମଚାରୀଙ୍କ ସମେତ ଅଫିସ କର୍ମଚାରୀ ମିଳିତ ଭାବେ ଧାରଣାରେ ବସିଛନ୍ତି। ଦୀର୍ଘ ୧୫ ବର୍ଷ ଧରି କର୍ମଚାରୀମାନେ ଉକ୍ତ ଗ୍ୟାସ୍ ସଂସ୍ଥାରେ କାର୍ଯ୍ୟ କରି ଆସୁଛନ୍ତି। ଆଜି ପର୍ଯ୍ୟନ୍ତ କୌଣସି କର୍ମଚାରୀଙ୍କ ବୀମା ନଥିବା ସହ ଇପିଏଫ୍ ଭଳି ସୁବିଧା ମଧ୍ୟ କରାଯାଇନାହିଁ। ଆଇଓସିଏଲ୍ ଗ୍ୟାସ୍ ସିଲିଣ୍ଡର୍ ପିଛା ୨୯.୫୦ ପଇସା ଦେଉଥିବା ବେଳେ ଗ୍ୟାସ୍ ଗୋଦାମ ମାଲିକ ମାତ୍ର ୧୦ ଟଙ୍କା ଦେଉଥିବା ସେମାନେ ଅଭିଯୋଗ କରିଛନ୍ତି। ଏଥିସହ ଆସନ୍ତା ଡିସେମ୍ବର ମାସରେ ଗୋଦାମ ବୈଧତା ଶେଷ ହୋଇଯାଉଥିବା ବେଳେ ସେମାନଙ୍କ ଚାକିରୀ ସଙ୍କଟରେ ରହିଥିବା ନେଇ ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି। ସେମାନେ ୭ଟି ଦାବି ନେଇ ଆଜି ଧାରଣା ଦେଇଛନ୍ତି । ଦାବିଗୁଡିକ ହେଲା ଗ୍ୟାସ ସିଲେଣ୍ଡର ବଣ୍ଟନ ନିମନ୍ତେ ୨୯ଟଙ୍କା ପ୍ରଦାନ କରିବା, ଅନ ଲୋଡ଼ ଗ୍ୟାସ ହାଣ୍ଡିର ଓଜନ ସଠିକ ଭାବେ ମାପିବା,ମ୍ୟାନେଜର ବୋଲି ଦାବି କରୁଥିବା ବ୍ୟକ୍ତିଙ୍କ ପ୍ରକୃତ ପରିଚୟ ପ୍ରଦାନ କରିବା, ଗୋଦାମ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର ହେଲେ ତେଲ ଖର୍ଚ୍ଚ ବ୍ୟବସ୍ଥା କରାଯାଉ,କର୍ମଚାରୀଙ୍କ ଲେବର କାର୍ଡ କରାଯାଉ । ଶ୍ରମିକ କାର୍ଡ ଏବଂ ସ୍ବାସ୍ଥ୍ୟ କାର୍ଡ ଭଳି ସୁବିଧାରୁ ସେମାନେ ବଞ୍ଚିତ ହୋଇଥିବା ସେମାନେ ଅଭିଯୋଗ କହିଛନ୍ତି। ଉତ୍କଳ ଇଣ୍ଡିଆନ ଗ୍ୟାସ ମାଲିକ ସ୍ଵାଗତିକା ପାଢ଼ୀ ଏହି ଘଟଣା ଜାଣିବାପରେ ଘଟଣା ସ୍ଥଳରେ ପହଞ୍ଚି ଇଣ୍ଡିଏନ ଅଫିସର କର୍ମଚାରୀ ମାନଙ୍କ ସହ ଆଲୋଚନା କରିଥିଲେ। ସମାଧାନର ବାଟ ଫିଟି ପାରି ନଥିବା ବେଳେ ସଦର ଥାନା ପୁଲିସ ପହଞ୍ଚି ସେମାନଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଏନେଇ ଗୋଦାମ ମାଲିକ ସ୍ୱାଗତିକା ପାଢ଼ୀ କହିଛନ୍ତି କର୍ମଚାରୀଙ୍କ ଦାବି ବିଷୟରେ ଆଲୋଚନା କରି ଦାବି ପୂରଣ କରାଯିବ। ମାଲିକ ସ୍ୱାଗତିକାଙ୍କ ପ୍ରତିଶ୍ରୁତି ପରେ କର୍ମଚାରୀମାନେ ଧାରଣାରୁ ଓହରିଥିଲେ। ଧାରଣା ଫଳରେ ଗ୍ରାହକ ମାନେ ସଠିକ୍ ସେବା ପାଇ ପାରିନଥିବା ଦେଖିବାକୁ ମିଳିଥିଲା। ଶିବଶଙ୍କର ସାହୁ, କୁମାର ମହାପାତ୍ର, ସୁଶାନ୍ତ ଜେନା, ସୁମନ୍ତ ପ୍ରଧାନ, ସନାତନ ପାଣିଗ୍ରାହୀ,ବୁଡୁ ପାଣିଗ୍ରାହୀ, ସାଗର ସାହୁଙ୍କ ସମେତ ୩୦ରୁ ଉର୍ଦ୍ଧ୍ବ କର୍ମଚାରୀ ଧାରଣାରେ ବସିଥିଲେ।
Comments are closed.