ରେଗିଡ଼ି ଛକ ହତ୍ୟା ଘଟଣା ; ମୁଖ୍ୟ ଅଭିଯୁକ୍ତଙ୍କ ସମେତ ତିନି ଗିରଫ : ଜଣେ ଫେରାର୍
ରାଜନୈତିକ ଶତ୍ରୁତାରୁ ହିଁ ପୂର୍ଣ୍ଣଙ୍କୁ ହତ୍ୟା
ବ୍ରହ୍ମପୁର,୧୫/୯/୨୨/(ପିଣ୍ଟୁ ବେହେରା):ଗତ ମଙ୍ଗଳବାର ଦିନ ବ୍ରହ୍ମପୁର ସହର ଉପକଣ୍ଠ ତଥା ସଦରଥାନା ଅନ୍ତର୍ଗତ ଚଣ୍ଡୀପଦର-ରେଗିଡ଼ି ଗ୍ରାମ ମଝିରାସ୍ତାରେ ଘଟିଥିବା ପୂର୍ଣ୍ଣ ଚନ୍ଦ୍ର ନାହକ ହତ୍ୟା ଘଟଣାରେ ପୁଲିସକୁ ମିଳିଲା ବଡ଼ ସଫଳତା । ଏହି ଘଟଣାରେ ସଦର ଥାନା ପୁଲିସ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ତିନି ଜଣଙ୍କୁ ଗିରଫ କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଭୀମ ବେହେରା, ସାଗର ବେହେରା, କୃଷ୍ଣ ବେହେରା । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଭୀମ ବେହେରା ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ, ଏକ ଦୁଷ୍କର୍ମ ମାମଲାର ସାକ୍ଷୀ ଦେବା ପାଇଁ ପୂର୍ଣଚନ୍ଦ୍ର ଗତ ୧୩ ତାରିଖରେ ବାଇକ୍ରେ ବ୍ରହ୍ମପୁର ପୋସ୍କୋ କୋର୍ଟକୁ ଯାଉଥିବା ବେଳେ ଅର୍ଥାତ ସକାଳ ୧୦ଟା ୧୦ ମିନଟ ସମୟରେ ସଦରଥାନା ଅନ୍ତର୍ଗତ ଚଣ୍ଡୀପଦର ଓ ରେଗଡି ଛକ ମଝି ରାସ୍ତାରେ ପୂର୍ବରୁ ଯୋଜନାବଦ୍ଧ ଭାବେ ଛପି ରହିଥିବା ଅଭିଯୁକ୍ତମାନେ ପୂର୍ଣ୍ଣଙ୍କ ଗୋଡକୁ ଲକ୍ଷ କରି ଖଣ୍ଡାରେ ଚୋଟ ଉପରେ ଚୋଟ ପକାଇ ହାଣିଥିଲେ । ଏଥିରେ ପୂର୍ଣ୍ଣ ଅଚେତ୍ ହୋଇ ତଳେ ଟଳିପଡ଼ିଥିଲେ । ପରେ ତାଙ୍କୁ ୪ଜଣ ଯୁବକ ଅତର୍କିତ ଭାବେ ଆକ୍ରମଣ କରି ଚାଲିଗଲେ । ରକ୍ତାକ୍ତ ଅବସ୍ଥାରେ ପୂର୍ଣ୍ଣ ରାସ୍ତାରେ ପଡିଥିବା ବେଳେ ହତ୍ୟାକାରୀ ଅର୍ଥାତ ଅଭିଯୁକ୍ତ ଭିମ ପୂର୍ଣ୍ଣଙ୍କ ପତ୍ନୀ ମିନତୀ ନାହାକଙ୍କୁ ଫୋନ୍ କରି ତୁମ ସ୍ୱାମୀଙ୍କୁ ହାଣିଦେଲୁ ରାସ୍ତାରେ ପଡିଛି ତୁରନ୍ତ ମେଡିକାଲ ନିଅ ବୋଲି କହି ଫୋନ୍ କାଟି ଦେଇଥିଲେ । ଖବର ପାଇ ଘଟଣା ସ୍ଥଳେ ସଦର ଥାନା ପୁଲିସ ପହଞ୍ଚି ରକ୍ତାକ୍ତ ହୋଇ ପଡିରହିଥିବା ପୂର୍ଣ୍ଣଙ୍କୁ ଉଦ୍ଧାର କରି ବ୍ରହ୍ମପୁର ଏମକେସିଜି ମେଡ଼ିକାଲକୁ ନେଇଥିଲା । କିଛି ସମୟର ଚିକିତ୍ସା ପରେ ପୂର୍ଣ୍ଣଙ୍କ ମୃତ୍ୟୁ ଘଟିଥିଲା । ସ୍ୱାମୀଙ୍କୁ ହତ୍ୟା କରି ମେଡ଼ିକାଲ ନେବାକୁ ଫୋନରେ କହିଥିବା ଯୁବକ ଜଣକ ଭିମ ବେହେରା ହିଁ ବୋଲି ସ୍ତ୍ରୀ ମିନତୀ ପୁଲିସକୁ କହିଥିଲା । ପରେ ଏ ନେଇ ମୃତ ପୂର୍ଣ୍ଣଙ୍କ ସ୍ତ୍ରୀ ମିନତୀ ନାହାକ ସଦର ଥାନାରେ ଏତଲା ଦେଇଥିଲେ । ଏତଲାକୁ ଭିତ୍ତିକରି ପୁଲିସ କେସ ନଂ ୪୨୨/୨୨ରେ ଏକ ମାମଲା ରୁଜୁ କରି ତଦନ୍ତ କରିଥିଲା । ତଦନ୍ତ ବେଳେ ପୁଲିସ ଜାଣିବକୁ ପାଇଥିଲା କି ରାଜନୈତିକ ଶତ୍ରୁତାକୁ ନେଇ ପୂର୍ଣ୍ଣଙ୍କୁ ହତ୍ୟା କରାଯାଇଥିଲା । ପୂର୍ବରୁ ମୃତ ପୂର୍ଣ୍ଣ ଓ ଭୀମ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏ ନେଇ ଭୀମ ଗୋଷ୍ଠୀ ଥାନାରେ ଅଭିଯୋଗ କରିବା ପରେ ପୁଲିସ ପୂର୍ଣ୍ଣଙ୍କ ନାଁରେ ଆଟ୍ରୋସିଟି ମାମଲା ରୁଜୁ କରିଥିଲା । ତେଣୁ ପୂର୍ଣ୍ଣ ଗିରଫ ହେବା ପୂର୍ବରୁ ହାଇକୋର୍ଟରୁ ଆଗୁଆ ଜାମିନ ଆଣିଥିଲେ । ସେ କୋର୍ଟରୁ ଜାମିନ ଆଣିଥିବା ଖବର ଜଣାପଡିବା ପରେ ଭିମ ପୁଣି ସୁଯୋଗ ଖୋଜୁଥିଲା ପୂର୍ଣ୍ଣକୁ ଜୀବନରୁ ମାରିବା ପାଇଁ । ପୂର୍ଣ୍ଣ ବ୍ରହ୍ମପୁର କୋର୍ଟକୁ ସାକ୍ଷୀ ଦେବା ପାଇଁ ଯାଉଥିବା ଖବର ଭୀମ ଜାଣିବା ପରେ ଭୀମ ଏବଂ ତାଙ୍କ ସହଯୋଗୀମାନେ ଗତ ମଙ୍ଗଳବାରରେ ଚଣ୍ଡିପଦର ରେଗିଡ଼ି ଛପିରହି ମଝି ରାସ୍ତାରେ ପୂର୍ବ ଯୋଜନାମୁତାବକ ତାଙ୍କୁ ମରଣାତ୍ମକ ଆକ୍ରମଣ କରିଥିଲେ । ଯାହା ଫଳରେ ସେ ଗୁରୁତର ହୋଇ ଏମକେସିଜି ମେଡ଼ିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଥିଲେ କିନ୍ତୁ ଚିକିତ୍ସାର କିଛି ସମୟ ପରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ପରେ ବ୍ୟବଚ୍ଛେଦ ହେବା ପରେ ପୁଲିସ ତାଙ୍କ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଥିଲା । ଶବକୁ ନେଇ ଗତକାଲି ତାଙ୍କ ପରିବାର ଲୋକେ ପୁରୁଷୋତ୍ତମ ଥାନା ଅନ୍ତର୍ଗତ ଋଷିପୁର ଗ୍ରାମରେ ପହଞ୍ଚିବା ପରେ ଗ୍ରାମବାସୀ ଘଟଣାରେ ସମ୍ପୃକ୍ତ ଥିବା ଆସାମୀଙ୍କୁ ଗିରଫ କରିବା ଦାବିରେ ରାସ୍ତା ରୋକ କରିଥିଲେ । ପୁଲିସ ପକ୍ଷରୁ ବୁଝା ପରେ ସେମାନେ ରାସ୍ତାରୁ ହଟିଥିଲେ । ଆଜି ସଦର ଥାନା ପୁଲିସ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଭୀମଙ୍କ ସମେତ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଅନ୍ୟ ଏକ ଅଭିଯୁକ୍ତ ଫେରାର୍ ଥିବା ସଦର ଥାନା ଅଧିକାରୀ ମହେନ୍ଦ୍ର କୁମାର ସାହୁ ସୂଚନା ଦେଇଛନ୍ତି । ଏପଟେ ବର୍ତ୍ତମାନ ଏହି ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ବ୍ରହ୍ମପୁର ଏସପି ଏକ ପ୍ରେସ ବିବୃତିରେ ସୂଚନା ଦେଇଛନ୍ତି ।
Comments are closed.