ସୋମନାଥନଗର ଓ ତୁଳସୀନଗର ଚୋରି ଘଟଣା ପର୍ଦାଫାସ୍ ;୮ ଗିରଫ ,୩୦୦ ଗ୍ରାମ ସୁନା : ୯୪ ହଜାର ଟଙ୍କା ଉଦ୍ଧାର
ଚୋରି କଲେ ହେଲେ ହଜମ କରିପାରିଲେନି
ଦେବାଲୋକ, ନେବା ଲୋକକୁ ବାନ୍ଧିଲା ପୁଲିସ
ବ୍ରହ୍ମପୁର,୧୨/୯/୨୨/(ପିଣ୍ଟୁ ବେହେରା): ସୋମନାଥ ନଗର ଓ ତୁଳସୀ ନଗର ଚୋରି ଘଟଣାରେ ଟାଉନ ଥାନା ପୁଲିସକୁ ମିଳିଛି ବଡ଼ ସଫଳତା । ଏହି ଦୁଇ ମାମଲାରେ ସଂପୃକ୍ତ ୮ ଜଣଙ୍କୁ ପୁଲିସ ଗିରଫ କରିଛି । ସେମାନଙ୍କ ନିକଟରୁ ପ୍ରାୟ ୩୦୦ ଗ୍ରାମ ସୁନା, ୫୦୦ ଗ୍ରାମ ରୂପା ଓ ନଗଦ ୯୪ ହଜାର ଟଙ୍କା ପୁଲିସ ଉଦ୍ଧାର କରିଛି । ସେହିପରି ବଳକା ଟଙ୍କା ଓ ସୁନା ଉଦ୍ଧାର ପାଇଁ ପୁଲିସ ଅଭିଯୁକ୍ତଙ୍କୁ ଜେଲରୁ ଆଣି ପୁଣି ପଚରାଉଚରା କରିବ ବୋଲି ଯୋଜନା ରହିଛି । ଚୋରମାନେ ଚୋରି କଲେ ସତ କିନ୍ତୁ ସହି ସୁନା ଓ ଟଙ୍କାକୁ ହଜମ କରିପାରିଲେ ନାହିଁ । ପୁଲିସର ରଣନିତୀରେ ଧରାପଡ଼ିଗଲେ ସମସ୍ତ ଚୋର । କେବଳ ଚୋର ନୁହଁ ସେମାନଙ୍କ ଠାରୁ ସୁନା କିଣିଥିବା ଲୋକଙ୍କୁ ମଧ୍ୟ ପୁଲିସ ଗିରଫ କରିଛି । ଗିରଫ ୪ଜଣ ଚୋର ହେଲେ ମୋଚି ସାହିର ଏସ.କେ.ସାକିର୍,ଏସ.କେ.ଇମ୍ରନ ଓରଫ୍ ସିମୁ, ଭୀମରାଓପେଟା ସାହିର ଏସ.କେ ଜାକିର,ଏସ.କେ.ନୂର୍ । ସେହିପରି ଚୋରି ସୁନା କିଣିଥିବା ୩ସୁନାରୀ ହେଲେ ଗାନ୍ଧୀ ନଗର ଅଷ୍ଟମ ଲାଇନର ଏନ.ଅରୁଣ କୁମାର, ପଞ୍ଚୁ ଦଳସାହିର କେ.ନାରାୟଣ ରାଓ ଆଚାରୀ ଏବଂ ରଙ୍ଗଣୀ ବନ୍ଧ ସାହିର ଭି. ସାଇରାମ । ଆଜି ଉପରୋକ୍ତ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜଣେ ନାବାଳକଙ୍କୁ ପୁଲିସ ଜେଜେବିରେ ହାଜର କରିଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ, ସେପ୍ଟେମ୍ବର୧ତାରିଖରେ ଟାଉନ ଥାନା ଅନ୍ତର୍ଗତ ସୋମନାଥ ନଗର ତୃତୀୟ ଲାଇନ ଠାରେ ରହୁଥିବା ଅବାସରପ୍ରାପ୍ତ ସେନା କର୍ମଚାରୀ ଶିଶିର ପାତ୍ରଙ୍କ ଘରୁ ୫୯୨ଗ୍ରାମ(୬୦ତୋଳା)ସୁନା ଗହଣା ସହ ନଗଦ ୧୧ଲକ୍ଷ ଟଙ୍କା ଚୋରି ହୋଇଥିବା ନେଇ ଗତ ୫ତାରିଖରେ ଟାଉନ ଥାନାରେ ଅଭିଯୋଗ ହୋଇଥିଲା । ଠିକ ସେହିପରି ସେପ୍ଟେମ୍ବର ୫ ମଧ୍ୟରାତ୍ରରେ ତୁଳସୀ ନଗର ସପ୍ତମ ଲାଇନର ସତ୍ୟ ନାରାୟଣ ପାଢ଼ୀଙ୍କ ଘରୁ ନଗଦ ୫୦୦୦ ସହ ୫୦୦ଗ୍ରାମ ରୂପା ଚୋରି ହୋଇଥିବା ନେଇ ଟାଉନ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତ୍ତି କରି ପୁଲିସ ୨୪୫/୨୨ ଏବଂ ୨୫୩/୨୨ରେ ଦୁଇଟି ମାମଲା ରୁଜୁ କରି ଘଟଣା ତଦନ୍ତ ଆରମ୍ଭ କରିଥିଲା । ବ୍ରହ୍ମପୁର ଏସପିଙ୍କ ନିର୍ଦ୍ଦେଶ କ୍ରମେ ଟାଉନ ଥାନା ଅଧିକାରୀ ସୁରେଶ ତ୍ରିପାଠୀଙ୍କ ନେତୃତ୍ବରେ ପୁଲିସ ଏବଂ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ଟିମ ଦୁଇଟି ଯାକ ଘଟଣା ସ୍ଥଳେ ପହଞ୍ଚି ଆଖ ପାଖ ଅଞ୍ଚରେ ଲାଗିଥିବା ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲା । ତେବେ ସୋମନାଥ ନଗର ତୃତୀୟ ଲାଇନ ଠାରେ ଲାଗିଥିବା ସିସିଟିଭି ଫୁଟେଜରେ ଚୋରଙ୍କ ଫୋଟ କଏଦ ହୋଇଥିଲା ।ପରେ ପୁଲିସ ସିସିଟିଭି ଫୁଟେଜ୍ କୁ ଆଧାର କରି ଚୋରଙ୍କୁ ଚିହ୍ନଟ କରିବା ପାଇଁ ତଦନ୍ତ ଜୋରଦାର କରିଥିଲା । ପୁଲିସ ପ୍ରଥମେ ଅଭିଯୁକ୍ତ ନୂର୍ ଏବଂ ଏସ୍.କେ. ସାକୀରଙ୍କୁ କାବୁ କରି ଥାନାରେ ଅଟକ ରଖି ତଥ୍ୟ ହାସଲ କରିଥିଲା । ତଥ୍ୟ ହାସଲ ପରେ ପୁଲିସ ଏହି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା । ଅଭିଯୁକ୍ତ ଏସ୍.କେ. ସାକୀର୍ ଚୋରି କରିଥିବା ସୁନାଗହଣାକୁ ନେଇ ସାନ ବଜାର ଛକରେ ସୁନା ମେଲଟ କରୁଥିବା ଗାନ୍ଧୀ ନଗର ଅଷ୍ଟମ ଲାଇନର ଏନ ଅରୁଣ କୁମାରଙ୍କୁ ୪ଲକ୍ଷ ଟଙ୍କାରେ ବିକ୍ରି କରିଥିଲେ । ଅରୁଣ ଏହି ସୁନା ମଧ୍ୟରୁ ନିଜ ପାଖରେ ଗୋଟିଏ ଚେନ ରଖି ଅନ୍ୟବାକି ସୁନାଗୁଡିକୁ ସାନ ବଜାର ଛକରେ ଦୋକାନ କରିଥିବା ସୁନାରୀ କେ.ନାରାୟଣ ରାଓ ଆଚାରୀ ଏବଂ ଭି. ସାଇରାମଙ୍କୁ ୪ ଲକ୍ଷ୧୦ ହଜାରରେ ବିକି ଥିଲେ ବୋଲି ପୁଲିସ ତଦନ୍ତ ବେଳେ ଜାଣିଥିଲା । ସେହିକ୍ରମରେ ପୁଳିସ ୪ ଯୁବକଙ୍କୁ ଗିରଫ କରିବା ସହ ୩ ଜଣ ସୁନାରି ଅର୍ଥାତ ସୁନା କିଣାଳୀଙ୍କୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତଙ୍କ ଠାରୁ ଜବତ ସୁନା ଅଳଙ୍କାର ମଧ୍ୟରେ ୪୦ ଗ୍ରାମ ଓଜନର ସୁନା ବିସ୍କୁଟ, ୨୦ ଗ୍ରାମ ଓଜନର କଏନ, ୧୯.୧୬ ଗ୍ରାମ ଓଜନର ଜିଗିର ଲକେଟ, ଏକାଧିକ ଚେନ, ହାର, ମୁଦି ରହିଛି ଏକ ପ୍ରେସ ବିବୃତିରେ ଏସପି ଡ଼ଃ ସର୍ବଣା ବିବେକ ଏମ ସୂଚନା ଦେଇଛନ୍ତି ।

Comments are closed.