ଚିକେନ୍ ବ୍ୟବସାୟୀ ମିଟୁ ଘଡ଼େଇଙ୍କୁ ମରଣାନ୍ତକ ଆକ୍ରମଣ ମାମଲା ; ୫ ଅଭିଯୁକ୍ତ ଗିରଫ

1,915

ବ୍ରହ୍ମପୁର,୨୪/୮/୨୨/(ପିଣ୍ଟୁ ବେହେରା): ପୂର୍ବ ଶତ୍ରୁତାକୁ ନେଇ ଚିକେନ ବ୍ୟବସାୟୀ ମିଟୁ ଘଡ଼େଇଙ୍କୁ ମରଣାନ୍ତକ ଆକ୍ରମଣ ମାମଲାରେ ବୈଦ୍ୟନାଥପୁର ଥାନା ପୁଲିସ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଗୋଲାପଲ୍ଲୀ ସାହିର ଟିପୁ ଓରଫ୍ ସୁଲତାନ ବେହେରା, ମଣ୍ଟୁ ବେହେରା, ଛୋଟୁ ବେହେରା, ରାଜଗୁରୁ ମାଧେଇ ଓ ଚିନ୍ତାମଣି ନାୟକ । ମିଳିଥିବା ସୂଚନା ପ୍ରକାରେ ମିଟୁ ଘଡେ଼ଇ ଦୀର୍ଘ ବର୍ଷ ହେବ ପାୟଲ ହଲ ସ୍ଥିତ ବୈକୁଣ୍ଠନଗର ଛକରେ ଠାରେ ଏକ ଚିକେନ୍ ଦୋକାନ କରିଛନ୍ତି । ଏଠାରେ ତାଙ୍କର ଭଲ ବ୍ୟବସାୟ ହେଉଥିବାରୁ ଉପରୋକ୍ତ ଅଭିଯୁକ୍ତମାନେ ଇର୍ଷା କରୁଥିଲେ । ଅଭିଯୁକ୍ତମାନେ ମଝିରେ ମଝିରେ ମିଟୁର ଚିକେନ୍ ଦୋକାନକୁ ଯାଇ ଗାଳି ଗୁଳଜ କରିବା ସହ ବିନା ପଇସାରେ ଚିକେନ୍ ନେଇ ଆସୁଥିଲେ । କିନ୍ତୁ ମିଟୁ ଘଡେଇ ଏକାଧିକ ବ୍ୟବସାୟରେ ସଂପୃକ୍ତ ଥିବାରୁ ଅଭିଯୁକ୍ତମାନଙ୍କ ସହ ଅନେକ ଦିନ ହେବ ଶତ୍ରୁତା ରହିଥିଲା । କିଛିଦିନ ପୂର୍ବରୁ ମିଟୁ ଏବଂ ତାଙ୍କ ବିପକ୍ଷ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ମିଟୁ ସବୁ ଦିନ ଗହଳି ସ୍ଥାନରେ ରହୁଥିବାରୁ ତାଙ୍କୁ ଆକ୍ରମଣ ହେଉନଥିଲା । ଚଳିତ ମାସ ୨୧ତାରିଖରେ ମିଟୁ ସ୍କୁଟିରେ ବ୍ରହ୍ମାନଗର ଗଳି ଦେଇ ଏକୁଟିଆ ଯାଉଥିବା ଉପରୋକ୍ତ ଅଭିଯୁକ୍ତମାନେ ତାଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ଅଟକାଇଲେ । ଟିପୁ ତାଙ୍କ ଶରୀରର ବିଭିନ୍ନ ଅଙ୍ଗରେ ଖଣ୍ଡା ଦ୍ୱାରା ଆକ୍ରମଣ କରିଥିଲା ​​। ଅନ୍ୟ ଅଭିଯୁକ୍ତ ବ୍ୟକ୍ତିମାନେ ମଧ୍ୟ କାତି, ଠେଙ୍ଗାରେ ମାଡ଼ ମାରିବା ସହ ନାତନାତ ମାରି ତଳେ ପକାଇ ଆକ୍ରମଣ କରିଥିଲେ। ଏହି ଆକ୍ରମଣ ଯୋଗୁଁ ମିଟୁଙ୍କ ଦେହରେ ପ୍ରବଳ ରକ୍ତସ୍ରାବ ହୋଇ ରାସ୍ତାରେ ପଡ଼ିଯାଇଥିଲା। ଅଭିଯୁକ୍ତମାନେ ମିଟୁଙ୍କୁ ହତ୍ୟା କରିବାକୁ ଧମକ ଦେଇ ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ଅଭିଯୁକ୍ତ ଟିପୁ ଓରଫ ସୁଲତାନ ବେହେରା ଯେଉଁ ଖଣ୍ଡାକୁ ଗୋଲାପଲ୍ଲି ପୋଖରୀକୁ ଫିଙ୍ଗିଦେଇ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ । ଆଜି ପୁଲିସ ଭଞ୍ଜାନଗରରେ ଟିପୁ ଓରଫ ସୁଲତାନ ବେହେରାଙ୍କୁ କାବୁ କରିଥିଲା । ତାଙ୍କୁ ଥାନାକୁ ଆଣି ପଚରାଉଚରା ବେଳେ ସେ ନିଜ ଦୋଷ ସ୍ୱୀକାର କରିଥିଲା । ପରେ ପୁଲିସ ଘଟଣାରେ ଅପରାଧର ଅସ୍ତ୍ର ଭାବରେ ବ୍ୟବହୃତ ଖଣ୍ଡାକୁ ଗୋଲାପଲ୍ଲୀ ପୋଖରୀରୁ ଜବତ କରିଥିଲା । ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ ଯୋଗୁ ମିଟୁଙ୍କ ଗୋଡ଼ ଓ ହାତ ଭାଙ୍ଗିବା ସହ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା । ମିଟୁଙ୍କୁ ପ୍ରଥମେ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ବିଶାଖାପାଟଣାସ୍ଥିତ ଏକ ଘରୋଇ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଆକମଣ ଘଟଣାକୁ ନେଇ ମିଟୁଙ୍କ ମାଆ ବୈଦ୍ୟନାଥପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗକୁ ଆଧାର କରି ପୁଲିସ ଥାନା କେସ ନଂ ୨୯୧/୨୨ରେ ଏକ ମାମଲା ରୁଜୁ କରି ଉପରୋକ୍ତ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି ।

Comments are closed.