ପୂଜା ମଣ୍ଡପରେ ଜଗି ବସିଥିଲା ଯମ ,ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଚାଲିଗଲା ନାବାଳକ ଜୀବନ
ବ୍ରହ୍ମପୁର,୧୦/୯/୨୨/(ପିଣ୍ଟୁ ବେହେରା):ଯେଉଁଠି ବିଘ୍ନରାଜ ପୂଜା ପାଉଛନ୍ତି ସେଠାରେ ହିଁ ଜଗି ବସିଥିଲା ଯମ । ଗଣେଶ ପୂଜା ଦର୍ଶନ କରିବାକୁ ଯାଇ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ୧୦ ଶ୍ରେଣୀରେ ପଢ଼ୁଥିବା ଛାତ୍ରର ଚାଲିଗଲା ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି ଗୋଳନ୍ଥରା ଥାନା ଅନ୍ତର୍ଗତ ବାଘଲଟି ପଞ୍ଚାୟତର ଗୋଲା ମନହରା ଗ୍ରାମରେ । ସୂଚନା ଯୋଗ୍ୟକି ୧୫ ବର୍ଷୀୟ ଏ. ଶୁଭମ ପାତ୍ର ଆଜି ନିଜ ଘର ସମ୍ମୁଖରେ ଥିବା ଗଣେଶ ପୂଜା ମଣ୍ଡପକୁ ଯାଇଥିବା ବେଳେ ବିଦ୍ୟୁତ ଆଘାତ ଲାଗି ଯାଇଥିବା ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଥିଲା । ଶୁଭମଙ୍କ ବାପା ମାଁ ପିଲାର ଉଜ୍ବଳ ଭବିଷ୍ୟତ ଗଢ଼ିବା ଆଶା ନେଇ ଅର୍ଥ ଉପାର୍ଜନ ନିମନ୍ତେ ହାଇଦ୍ରବାଦରେ ଦାଦନ ଖଟୁଥିବାବେଳେ ଗୋଲା ମନହରାରେ ନିଜ ମାମୁଁଙ୍କ ଘରେ ରହିବା ସହ କନିଷି ସ୍ଥିତ ବାଲାଜୀ ବିଦ୍ୟାପୀଠରେ ୧୦ମ ଶ୍ରେଣୀରେ ପଢୁଥିଲେ । ମାମୁଁଙ୍କ ଘର ସମ୍ମୁଖରେ ଗଣେଶ ପୂଜା ହେଉଥିବା ବେଳେ ନିକଟସ୍ଥ ପୂଜା ମଣ୍ଡପ ଠାରେ ବେଶ୍ ଖୁସିରେ ଖଳିବାକୁ ଯାଇଥିଲେ । ପ୍ରବଳ ବର୍ଷା ଯୋଗୁଁ ଗତରାତିରେ ଡିଜେ ଲାଗିଥିବା ସୁଇଚ୍ ବୋର୍ଡ ବନ୍ଦ କରିବା ଭୁଲ ବଶତଃ ଭୁଲି ଯାଇଥିଲେ ପୂଜାକମିଟି । ରାତିସାରା ଭିଜି ଭିଜି ଥିବା ତାରରେ ବିଦ୍ୟୁତ୍ ସଂଯୋଗ ହୋଇ ରହିଥିଲା ଯାହା ଫଳରେ ଦୁର୍ଭାଗ୍ୟ ବଶତଃ ଆଜି ଖେଳୁ ଖେଳୁ ମାଇକ୍ କୁ ହାତରେ ଧରି ନେଇଥିଲେ ଶୁଭମ । ଆଉ ବିଦ୍ୟୁତ୍ ସଂସ୍ପର୍ଶରେ ଆସିବା ସହ ସେଠାରେ ହିଁ ଟଳି ପଡ଼ି ଅଚେତ ହୋଇଯାଇଥିଲେ । ତୁରନ୍ତ ଶୁଭମକୁ ବ୍ରହ୍ମପୁର ଏମକେସିଜିକୁ ଅଣାଯାଇଥିଲା । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟପଟେ ଶୁଭମଙ୍କ ମୃତ ଶରୀରକୁ ବ୍ୟବଚ୍ଛେଦ ଲାଗି ପଠାଇ ଦିଆଯାଇ ଥିବାବେଳେ ରାତି ହୋଇ ଯାଇଥିବା ଯୋଗୁଁ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇନଥିଲା । ସକାଳ ହେଲେ ଶୁଭମଙ୍କ ଶରୀରକୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି । ଅନ୍ୟପଟେ ପୁଅ ଶୁଭମକୁ ଶେଷ ଦର୍ଶନ କରିବା ଲାଗି ଦେଖିବାକୁ ମାଁ ଆଉ ବାପା ହାଇଦ୍ରାବାଦରୁ ଫେରିଛନ୍ତି । ଏପଟେ ଶୁଭମଙ୍କ ଗାଁ ଗୋଲା ମନହରାରେ ଏକ ପ୍ରକାର ଶୋକାକୁଳ ପରିବେଶ ଦେଖା ଦେଇଛି । ଘଟଣା ସ୍ଥଳରେ ଗୋଳନ୍ଥରା ପୋଲିସ ପହଞ୍ଚି ଥାନା କେସ ନଂ ୩୨୬/୨୨ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡିଛି ।

Comments are closed.